*ରାକ୍ଷୀ ଓ ଜଗନ୍ନାଥ*
*ରାକ୍ଷୀ ଓ ଜଗନ୍ନାଥ* ଆପଣ ମାନେ ପ୍ରାୟ ସମସ୍ତେ ପୁରୀ ଯାଇଥିବେ ଜଗନ୍ନାଥ ଦର୍ଶନ ପାଇଁ । ପୁରୀ ଯିବା ବେଳେ ବାଟରେ ଏକ ଗ୍ରାମ ପଡେ ଯାହାର ନାଁ "ମାଳତୀ ପାଟପୁର" । ପୂର୍ବରୁ ସେ ଗାଁର ନାଁ ଥିଲା ପାଟପୁର , ସମୟକ୍ରମେ ଏହାର ନାମ ପରିବର୍ତ୍ତନ କରାଗଲା ମାଳତୀ ପାଟପୁର । ଏହାର ନାମ ପରିବର୍ତ୍ତନ ହେବା ପଛରେ ଏକ ସୁନ୍ଦର କୋହଭରା କାହାଣୀ ଅଛି , ଆସନ୍ତୁ ପଢ଼ିବା ସେ କାହାଣୀ । ପାଟପୁର ଗ୍ରାମର ଏକ ଗରିବ ପରିବାର ।ଯେଉଁ ପରିବାରରେ ଥିଲେ ସ୍ଵାମୀ ,ସ୍ତ୍ରୀ ସେମାନଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଛୋଟ ଝିଅ ନାଁ ତାର ମାଳତୀ । ପର ବିଲରେ ମୂଲ ଲାଗି ପୁରୁଷ ଲୋକଟି ଯେତିକି କମାଏ ଚାରି ପ୍ରାଣୀ କୁଟୁମ୍ବ ବିନା କୌଣସି ଅଭିଯୋଗରେ ଖୁସିରେ ଖୁସିରେ ଚଳି ଯାଉଥିଲେ । ବିଧାତା ର ନିଷ୍ଠୁରତା ଆଗରେ କେତେ ରଥୀ ମହାରଥୀ ମାନେ ମଧ୍ୟ ହାର୍ ମାନନ୍ତି ମଣିଷ ତ ଛାର । ହଠାତ୍ ଦିନେ ସନ୍ଧ୍ୟା ରେ ବିଲରୁ କାମ ସାରି ଫେରିବା ବେଳକୁ ଏକ ନାଗ ସାପ ଦଂଶନରେ ସ୍ଵାମୀ ର ମୃତ୍ୟୁ ହୋଇଗଲା , ଭାଙ୍ଗି ପଡ଼ିଲା ବିଚରା ସ୍ତ୍ରୀ ଜଣକ । ପୁଅକୁ ସେତେବେଳେ ୫ ବର୍ଷ ଆଉ ଝିଅ ମାଳତୀ କୁ ୩ । କର୍ପୂର ସିନା ଉଡିଗଲା ହେଲେ କନା ଖଣ୍ଡକ ତ ଅଛି । କୁନି ପୁଅର ଦୋରଣ୍ଡି କଥା ଓ କୁନି ଝିଅ ମାଳତୀ ର ଗୁରୁଣ୍ଡି ଚାଲିରେ ସ୍ଵାମୀ କୁ ହରେଇବାର ଦୁଃଖକୁ ଆସ୍ତେ ଆସ୍ତେ ମନରୁ ପାସୋରିବାକୁ ଚେଷ୍ଟା କରୁଥିଲା ସ୍ତ୍ରୀ ଜଣକ । ବିଧିର ବିଧାନ କ...