*☆ସଂପର୍କର ସୁତାଖଣ୍ଡେ ରାଖି☆*

*ଆସନ୍ତୁ ପଢିବା ଆଜିର କାହାଣୀ*

   *☆ସଂପର୍କର ସୁତାଖଣ୍ଡେ ରାଖି☆*

ଦୁଇବର୍ଷ ତଳେ ଏମିତି ଅଗଷ୍ଟ ମାସ ଶେଷ ବେଳକୁ ରମେଶ ଭୂବନେଶ୍ବର ଯାଉଥିଲା ଟ୍ରେନରେ। ତପସ୍ବିନୀ
ଛାଡିଲା ଦଶଟା ପାଖାପାଖି। ତା ସାଙ୍ଗରେ ଝିଅଟେ ବି ଚଢିଲା ଝାରସୁଗୁଡାରୁ। ସେଇ ଝିଅଟିର ସିଟ୍ ବି ତା ସାମନା ସିଟ୍ ଟା ଥିଲା। ଦୁଇଜଣ ଟ୍ରେନରେ ନିଜନିଜ ସିଟ୍ ଅକ୍ତିଆର କରି ଶୋଇଗଲେ । ଝିଅଟି ବଡ ସୁନ୍ଦରୀ ଥିଲା। ରମେଶ ନିଶ୍ଚିତ ଥିଲା ଝିଅଟି ତାଙ୍କର ଜାତିର ହେଇଥିବ ? କାରଣ ତାଙ୍କ ଜାତିର ଝିଅମାନେ ଗରୀବ ହେଉକି ଧନୀ ଗୋରି ଓ ଗଢଣରେ ଭଲ ଥାଆନ୍ତି। ତାଙ୍କ ଅଞ୍ଚଳରେ ବ୍ରାହ୍ମଣଙ୍କୁ ଛାଡିଦେଲେ ତାଙ୍କ ଜାତିର ଝିଅହିଁ ସୁନ୍ଦରୀ ଅଛନ୍ତି । ଆଉ ନ ହେବେ ବି କିପରି ଏମାନେ ପରା ବେଦବ୍ୟାସ ଓ ବିଦୁରଙ୍କ ବଂଶଧର । ସେ ପୁରା କନଫର୍ମ ଥିଲା ନିଜ ଜାତିର ହେଇଥିବ ବୋଲି ତେଣୁ ତାପ୍ରତି ଆହେତୁକ ସ୍ନେହ ଆସିଯାଇଥିଲା ଓ ବଡ ହିସାବରେ କର୍ତ୍ତବ୍ୟ ହେଉଥିଲା ତାର ସୁରକ୍ଷାପ୍ରତି ଧ୍ୟାନଦେବା । ଝିଅଟି ଦୁଇସିଟ୍ ମଝିରେ ଥିବା ଛୋଟ ଟେବୁଲରେ ନିଜ ଲ୍ୟାପଟପ୍ ରଖି ନିଜ ସିଟରେ ନିଶ୍ଚିନ୍ତରେ ଶୋଇ ଘୁଙ୍ଗୁଡି ମାରିବାକୁ ଲାଗିଲା । ହେଲେ ରମେଶ ନିଜ ମୋବାଇଲ ଚାର୍ଯରେ ଲଗାଇଥିଲା ବୋଲି ଶୋଇକି ଗଡପଡ ହେଉଥିଲା । ସେ ସଜାଗ ଥାଏ ସବୁବେଳେ ଯେବେ ଚାର୍ଯରେ କିଛି ରଖିଥାଏ । ସମୟ ରାତି ତିନିଟା ହେବ ଦୁଇଜଣ ଯୁବକ ଆସି ଲ୍ୟାପଟପକୁ ଟାଣି ନେବାକୁ ବସିଲେ । ସେତେବେଳେ ତଡାକ୍ କରି ଗୋଟିଏ ଚଟକଣା ଚୋରର ଗାଲରେ ବାଜିଲା ଓ ରମେଶ ଲ୍ୟାପଟପକୁ ନିଜ ହାତକୁ ଟାଣିନେଇସାରିଥିଲା । ଏ ଶବ୍ଦ ଶୁଣି ଝିଅଟି ଉଠିଗଲା । ପାଖ ସାଇଡ ସିଟରେ ଶୋଇଥିବା ଲୋକେ ବି ଉଠି ଚୋର ଚୋର ଚିତ୍କାର କରିଦେଲେ । ଚୋର ଦୁଇଜଣ ଧରା ପଡିବା ଭୟରେ ଦୌଡି ଅନ୍ୟ ବଗିକୁ ଚାଲିଗଲେ । ଟ୍ରେନଟି ଠିକ୍ ସେତିିକିବେଳେ ଏକ ଷ୍ଟେସନରେ ଲାଗିଲା । ସେଅବସସରରେ ସେଠି ତଳକୁ ଓହ୍ଲାଇଗଲେ । ଚୋରମାନେ ଏମିତି ଷ୍ଟେସନ୍ ପାଖାପାଖି ଚାର୍ଯ୍ୟରେ ଥିବା ମୋବାଇଲ ଲାପ୍ଟପ୍ ଚୋରିକରନ୍ତି
ଓ ଶିଘ୍ର ଓହ୍ଲାଇ ଯାନ୍ତି । ରମେଶ ସେଥିପାଇ ଚାର୍ଯରେ ଥିଲେ ଶୁଏନି ।କେବଳ ବେଡସିଟ ଘୋଡିହୋଇ ପଡିଥାଏ। ଚୋରମାନେ ଭାବିଲେ ସେ ଶୋଇଯାଇଛି ଓ ଚାଲିଆସିଲେ ଚୋରିକରିବାକୁ। ହେଲେ ଝିଅଟି ଏକା ଯାଉଥିବାରୁ ତାପ୍ରତି ବି ସେ ଧ୍ୟାନ ରଖୁଥିଲା ଏକ ବଡଭାଇ ହିସାବରେ ।ଝିଅଟି ଏବେ ତାକୁ ଧନ୍ୟବାଦ ଜଣାଇଲା । ତା ନାମ ମଞ୍ଜୁ ପଟେଲ ବୋଲି କହିଲା ।ରମେଶର ଡାଉଟ୍ ସତ ହେଇଥିଲା ସେ ତାଙ୍କ ଜାତିର ହିଁ ଥିଲା । ସେ ତା ଘର କୁସୁମି ବୋଲି କହିଲା । ସେ କହିଲା ସେ ଆଇଟିଆର ଇଞ୍ଜିନିୟରିଂ କଲେଜରେ ନୂଆଁକରି ଏଡମିସନ୍ କରିଛି । ରମେଶ କହିଲା ସେବି ଆଇଟିଆରରେ ତୃତୀୟ ବର୍ଷର ଛାତ୍ର। ଯେବେ ଏକା ଆସିଲେ ସଜାଗ ରହିବୁ। ଦାମି ଜିନିଷ ନିଜ ମୁଣ୍ଡତଳେ ରଖିବୁ ବୋଲି ବୁଝେଇଦେଲା ।ମଞ୍ଜୁ ହଁକରି ମୁଣ୍ଡ ଟୁଙ୍ଗାରିଲା । ସକାଳେ ଆଠଟା ବେଳକୁ ଟ୍ରେନ ପହଞ୍ଚିଲା ଭୁବନେଶ୍ବର। ରମେଶ ଟେମ୍ପୁଟେ ଡାକିଲା।ଦୁଇଜଣ ଏକ ଟେମ୍ପୁରେ କଲେଜ ପର୍ଯ୍ୟନ୍ତ ଆସିଲେ । କଲେଜରେ ରମେଶ ଓହ୍ଲାଇଗଲା । ମଞ୍ଜୁ ରିକ୍ସାରେ ହଷ୍ଟେଲ ପର୍ଯ୍ୟନ୍ତ ଗଲା । ଯିବା ଆଗରୁ ଦୁଇଜଣ ଉଭୟଙ୍କ ଫୋନ ନମ୍ବର ମାଗି ନେଇଥିଲେ। ଏବେ ମଝିମଝିରେ ମଞ୍ଜୁ କିଛି ଦରକାର ହେଲେ ରମେଶକୁ ଫୋନ କରୁଥିଲା । ଯାହା ଜିନିଷ ଦରକାର ରମେଶ ବଜାରରୁ କିଣି ଆଣିଦେଉଥିଲା।
ଏ ଭିତରେ ମଞ୍ଜୁର ପରିବାର ବିଷୟରେ ସବୁ ତଥ୍ୟ ଅବଗତ ହେଇ ସାରିଥିଲା ରମେଶ । ମଞ୍ଜୁ ଘର ଏକ ମଧ୍ୟବିତ୍ତ ପରିବାର ଅଟନ୍ତି। ତାର ବାପା କୋର୍ଟରେ କିରାଣୀ କାମ କରନ୍ତି ହେଲେ ବଡ ମଦ୍ୟପ ହେତୁ ସବୁ ଟଙ୍କା ଖର୍ଚ୍ଚ କରିଦିଅନ୍ତି। ମାଆ ଜଣେ ପ୍ରାଇମେରି ସ୍କୁଲର ଶିକ୍ଷୟତ୍ରୀ । ନିଜ ଦରମାରେ ଘର ଚଳାନ୍ତି। ଜମିବାଡି କିଛି ଅଛି ସେଥିରୁ ଚାଉଳ ଓ ପନିପରିବା ମିଳିଯାଏ ଘର ଚଳିବାପାଇଁ । ବାପା ପ୍ରତିଦିନ ସହର ଅଫିସକୁ ମୋଟରସାଇକିଲରେ ଯିବା ଆସିବା କରନ୍ତି । ଗାଡିର ପେଟ୍ରୋଲ ମଦ ସିଗାରେଟ ପାନ ଆଦି ଆଜେ ବାଜେ ଅଭ୍ୟାସ ଓ ହୋଟେଲରେ ଖାଇ ସାରିଦିଅନ୍ତି। ବାପା ଦେଖିବାକୁ ବଡ ହେଣ୍ଡସମ୍ ବୋଲି ମାଆ ପ୍ରେମରେ ପଡି ଚାଲିଆସିଥିଲା ତାଙ୍କ ସହିତ। ଘରର ଇଜ୍ଜତ ପଦାରେ ପକାଇଲା ବୋଲି ତାର ବାପା ଭାଇ ତାକୁ ତେଜ୍ୟା କରିଦେଲେ। ତା ମାମୁଁ ଘର ଧନୀ ପରିବାର ଅଟନ୍ତି।ତାର ଅଜା ଜଣେ ଇଞ୍ଜିନିୟର ଓ ମାମୁଁ ଜଣେ ଓକିଲ। ସେ ନିଜ ପରିବାରର ଗ୍ରୁପ ଫଟୋ ବି ଦେଖେଇଲା । ସତରେ ପରିବାରର ସମସ୍ତେ ଦେଖିବାକୁ ସୁନ୍ଦର |ସେଥିପାଇଁତ ତା ମାଆ ଡାକ୍ତର ବରର ପ୍ରସ୍ତାବ ଛାଡି ତା ବାପାସହ ଚାଲି ଆସିଥିଲେ । ବପା ପ୍ରଥମେ ମାଆକୁ ବହୁତ ଭଲ ପାଉଥିଲେ । ପରେ ଟଙ୍କା ପଇସାର ଅଭାବ ହେବାରୁ ଟିକେ ଚିଡିଚିଡା ହେଇଗଲେ ଓ ମଦ ପିଇବା ଅଭ୍ୟାସ କରିଦେଲେ । ମଦ ପିଇଲେ ହିତାହିତ ଭୁଲି ମାଆକୁ ମାରନ୍ତି ।ସେଥିପାଇଁ ତାକୁ ଓ ତା ଭାଇକୁ ବାହାରେ ହଷ୍ଟେଲରେ ରହି ପଢିବାକୁ ପଡୁଛି । ମାଆ ତାଙ୍କୁ ଖର୍ଚ୍ଚ ହେଉପଛେ ବାହାରେ ପଠାଇ ଦେଇଛନ୍ତି ଏସବୁ ପରିବେଶରୁ ମୁକ୍ତ ରହିବେ ବୋଲି । ପାଠପଢି ନିଜ ଗୋଡରେ ଠିଆହେବେ ବୋଲି ସେ ଚାହାଁନ୍ତି । ସେ ନିଜ ଇଛା ଅନୁସାରେ ସାଥୀ ଚୟନ କରିବାର ସ୍ବାଧିନତା ବି ଦେଇଛନ୍ତି ସେମାନଙ୍କୁ । ହେଲେେ ବାପାଙ୍କ ପରି ଅଗାଡିକୁ ନୁୁହେଁ ବୋଲି ସତର୍କ କରିଦେଇଛନ୍ତି । ରମେଶ ଯେତେବେଳେ ମଞ୍ଜୁର ଗୃପଫଟ ଦେଖିଲା ଚମକି ପଡି୍ଲା। ସେ ତାମାଆକୁ କୋଉଠି ଦେଖିଲାପରି ମନେ ହେଉଥିଲା । ସେ ହଷ୍ଟେଲରେ ଆସି ମନେ ପକେଇବାକୁ ଚେଷ୍ଟା କରୁଥାଏ ସ୍ମୃତିର ପିଟାରା ମେଲେଇ। ତାର ମନେ ପଡିଲା । ସେତ ନିଜ ଘରେ ବାପାଅଜା ଆଈଙ୍କ ସାଂଗରେ ଏହାଙ୍କ ଫଟ ଦେଖିଛି । ହେଲେ ସେତେବେଳେ ଡ୍ରେସ୍ ପିନ୍ଧିଥିଲେ ସେ ।
     ଏବେ ମଞ୍ଜୁପ୍ରତି ଥିବା ସ୍ନେହ ଚକ୍ରବୃଦ୍ଧିଆକାରରେ ବଢିଯାଇଥିଲା । ସେ ନିଜ ଭଉଣୀ ପରି ପ୍ରତିକଥାରେ ସାହାଯ୍ୟ କରିବାକୁ ଲାଗିଲା । ମଞ୍ଜୁବି ଏମିତି ଭାଇଟେ ପାଇ ନିଜକୁ ଭାଗ୍ୟବତୀ ଭାବୁଥାଏ । ଦିନେ ରମେଶ ମଞ୍ଜୁକୁ କହିଲା ତୁ ଏ ରାଖି ପୂର୍ଣିମାରେ ତୋ ମାଆ ଓ ଭାଇଙ୍କୁ ଭୂବନେଶ୍ବର ଡାକ । ମୁଁ ମୋ ମାଆ ବାପାଙ୍କୁ ଡାକିବି । ସମସ୍ତେ ଏକ ହୋଟେଲରେ ମିଳିତ ହେବା । ତୁ ମତେ ରାଖି ବାନ୍ଧିବୁ । ଉଭୟ ପରିବାର ପରିଚିତହେବେ ଓ ସେଠି ଖିଆପିଆବି କରିବା । ମଞ୍ଜୁ ତାକଥା ମାନି ମାଆ ଓ ଭାଇକୁ ଡକାଇଲା । ରମେଶର ବାପା ମାଆବି ଆସିଲେ । ପଥମେ ରମେଶ ତା ପରିବାର ନେଇ ହୋଟେଲରେ ପହଞ୍ଚି ଏକ କୋଣରେ ଟେବୁଲଟେ ବୁକ୍ କରିଦେଲା।ସେମାନେ ତିନିଜଣ ବସି ଜୁସ୍ ପିଉଥିବାବେଳେ ମଞ୍ଜୁ ତା ମାଆ ଓ ଭାଇଙ୍କୁ ଧରି ପହଞ୍ଚିଲା । ପତଳା ଗୋରୀ ମହିଳା ଥିଲେ ତାର ମାଆ । ଏବେ ଗାଲଗୁଡାକ ଟାକୁଆ ଦିଶୁଥିଲା ।ଆଖିତଳେ କଳାଦାଗ ହେଇଯାଇଛି।ଏସବୁ ତାଙ୍କ ଅଶାନ୍ତିକୁ ବଖାଣୁଥିଲା।ହେଲେ ଏବେବି ଚେହେରା ଏମିତିବି ବଦଳି ନଥିଲା ଯେ ଚିହ୍ନାଯାଇ ନପାରେ ।
ତାଙ୍କୁ ଦେଖି ବାପା କହିଉଠିଲେ ସଞ୍ଜୁ, ତୁ?ସେପଟୁ ସଞ୍ଜୁ ଆଣ୍ଟି କହିଲେ ଦାଦା ତୁମେ ଏଠି ?
ରମେଶ କହିଲା ମୁଁ ପ୍ରକୃତରେ ତୁମ ଦୁଇଜଣକୁ ମିଳାଇବାକୁ ଏ ଯୋଜନା କରିଥିଲି । ମୋର ଭଉଣୀଟେ ନାହିଁବୋଲି ମୋ ହୃଦୟରେ କ୍ଷତଟେ ରହି ଯାଇଛି ।ଏକ ଶୂନ୍ୟପଣ ମତେ ଖାଇଗୋଡାଏ ବେଳେବେଳେ। ଆଜି ସେ ଜାଗା ପୂରାହେବ । ମଞ୍ଜୁମତେ ରାଖି ବାନ୍ଧିବ।ଆଉ ପିଇଷୀ ତୁମକୁ ବାନ୍ଧିବେ। ଯେତେ ଯାହା ମନଭିତରେ କଟୁତାର ଭାବଅଛି ସବୁ ଆଜି ରାଖିରେ କାଢି ଫିଙ୍ଗିଦିଅ । ନୂଆଁ ଭାବରେ ସମନ୍ଧକୁ ପୁଣି ଯୋଡ। ରାଗ ରୁଷାରେ କଣ ଅଛି, ବେକାରରେ ମନରେ ଅଶାନ୍ତିିଟେ ପାଳିବା କଥା । ମୁଁ ଦେଖିଛି ରାଖି ଆସିଲେ ତୁମେ କେମିତି ଅନ୍ୟମନସ୍କ ରୁହ। ତୁମର ଉଦାସ ଭାବ ମୁଁ ଦେଖିଛି । ହେଲେ କାରଣ ଜାଣିନଥିଲି।ସେଦିନ ମଞ୍ଜୁର ଗୃପଫଟୋ ଦେଖିଲା ପରେ ମୁଁ ତାର କାରଣ ବୁଝି ପାରିଥିଲି ।ରମେଶର କଥାଶୁଣି ତା ବାପା ଦୁର୍ଗାମାଧବ ବାବୁ ଭାବପ୍ରବଣ ହେଇ କାନ୍ଦକାନ୍ଦ ହେଇଗଲେ। ତାଙ୍କ ଆଖିରେ ଛୋଟବେଳର ସେ ପୁଚୁକିଗାଲି ଚୁଲବୁଲି ସଞ୍ଜୁର ଚେହେରା ନାଚି ଯାଉଥାଲା ।ସଞ୍ଜୁବି ଦାଦା କହି ମୁଣ୍ଡିଆ ମାରିଲା ଦାଦା ଭାଉଜଙ୍କୁ । ମଞ୍ଜୁ ରମେଶ ଓ ଛୋଟଭାଇ ନିତିନକୁ ରାଖି ବାନ୍ଧିଲା । ନିତିନ୍ ହାଇସ୍କୁଲରେ ପଢେ। ସଞ୍ଜୁ ଆଣ୍ଟିବି ଦାଦାଙ୍କୁ ଏତେବର୍ଷ ପରେ ରାକ୍ଷୀ ବାନ୍ଧିଲେ। ରମେଶ ଭାବୁଥିଲା ଏବେ ମଞ୍ଜୁ ଘରର ଦାରିଦ୍ରତା ନିଶ୍ଚୟ ଚାଲିଯିବ। ତା ବାପା ଜଣେ ବଦାନ୍ୟ ବ୍ୟକ୍ତି । ଏତେ ଦିନ ଚାପି ରଖିଥିବା ସ୍ନେହର ଗଙ୍ଗାକୁ ଭଉଣୀ ଉପରେ ନିଶ୍ଚୟ ବହାଇଦେବେ। ସମସ୍ତଙ୍କ ମନରେ ଖୁସିର ଝଲକଟେ ଉକୁଟି ଉଠୁଥିଲା ।

Comments