ଗୁରୁ ଦିବସ
ମୋ ଜୀବନର ପ୍ରତ୍ୟେକ ଟି ପାହାଚ଼ରେ ଶିକ୍ଷା ଦେଇ ଆସିଥିବା ସମସ୍ତ ଗୁରୁଙ୍କୁ ପବିତ୍ର ଗୁରୁ ଦିବସ ଉପଲକ୍ଷେ ମୋର ପ୍ରଣାମ।
ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ ।
ଭାରତୀୟ ପରମ୍ପରା ରେ 'ଗୁରୁ' ଏକ ପବିତ୍ର ଶବ୍ଦ। ଗୁରୁ...ଯିଏ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନ ରୂପକ ଆଲୋକର ରାସ୍ତା ଦେଖାନ୍ତି। ଯାହାଙ୍କ ପ୍ରଦତ୍ତ ଜ୍ଞାନରେ ଆମେ ଜୀବନର ପ୍ରକୃତ ଉଦ୍ଦେଶ୍ୟ ବୁଝିପାରୁ।କେବେ ଆକଟଭରା କଠୋର ଅନୁଶାସନ ତ ପୁଣି କେବେ ଉତ୍ସାହପ୍ରଦ ପ୍ରେରଣା ସାଧାରଣରୁ ଅସାଧାରଣର ମୁକୁଟ ପିନ୍ଧାଏ। ପାଠ ହେଉ କି ସଙ୍ଗୀତ। ଖେଳ ହେଉ କି ନୃତ୍ୟ। ବାଦ୍ୟ ହେଉ କି ବକୃତା, ପ୍ରତିଟି କ୍ଷେତ୍ରରେ ଗୁରୁଙ୍କର ମାର୍ଗଦର୍ଶନ କୃତୀ ପ୍ରତିଭାଙ୍କ ପାଇଁ ଆଣି ଦେଇଛି ପ୍ରସିଦ୍ଧି।ଗୁରୁ ହେଉଛନ୍ତି ସାକ୍ଷାତ ପରମବ୍ରହ୍ମ। ଯୁଗେ ଯୁଗେ ଗୁରୁଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ।
ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଆମେ ପ୍ରତିବର୍ଷ ଗୁରୁଦିବସ ଭାବେ ପାଳନ କରିଥାଉ। ଜଣେ ଦାର୍ଶିନିକ ତଥା ଜଣେ କୁଶଳୀ ରାଷ୍ଟ୍ରନୀତିଜ୍ଞ ଓ ଜଣେ ଆଦର୍ଶ ଶିକ୍ଷକ ଭାବରେ ରାଧାକ୍ରିଷ୍ଣନ ବେଶ୍ ପରଚିତ।
ମୋ ଭାଷାରେ ' ନିଜକୁ ଯେ ନିରନ୍ତର ଶିକ୍ଷା ରୂପେ ଗଣେ, ନିଶ୍ଚୟ ସେ ଯୋଗ୍ୟତମ ଗୁରୁ ମଧ୍ୟ ଜଣେ'। ଗୁରୁ ଓ ରାସ୍ତା ଏକାପରି । ସେମାନେ ଗୋଟିଏ ଜାଗାରେ ଥିବେ, କିନ୍ତୁ ଆଗକୁ ବଢିବାକୁ ପ୍ରୋତ୍ସାହିତ କରିବେ। ଏହା ହିଁ ତ ଗୁରୁଙ୍କ ମହାନତା। ଛାତ୍ର-ଛାତ୍ରୀଙ୍କ ଏକ ସୁନ୍ଦର ଭବିଷ୍ୟତ ନ୍ୟସ୍ତ ଥାଏ ଗୁରୁଙ୍କ ଉପରେ। କଞ୍ଚାମାଟିର ପିତୁଳାକୁ ସେ ଦେବତା ରୂପେ ଗଢିବାକୁ ନିରନ୍ତର ପ୍ରୟାସ ଜାରି ରଖିଥାଆନ୍ତି ।
ବିନା ଗୁରୁରେ କେହି ବି ଜ୍ଞାନୀ ପଦବାଚ୍ୟ ହୋଇପାରି ନଥାଏ। ଗୁରୁ ହିଁ ପ୍ରେରଣାର ଉତ୍ସ। ଯେତେବେଳେ ଆମେ ଜନ୍ମ ନେଉ, ସର୍ବପ୍ରଥମେ ଆମେ ନିଜ ପିତାମାତାଙ୍କଠାରୁ ଜୀବନର ପ୍ରାରମ୍ଭିକ ଶିକ୍ଷା ମିଳେ । ପିତା-ମାତା ହେଉଛନ୍ତି ପ୍ରତ୍ୟେକଙ୍କ ଜୀବନର ପ୍ରଥମ ଗୁରୁ। ଶିଶୁଟି ଧରା ଛୁଇଁବା ପରେ ତାକୁ ତା ମାଆ କୋଳେଇ ନିଏ, ତାର ଅଳି-ଅର୍ଦ୍ଦଳି ସବୁ ସହେ। କେମିତି ଚାଲିବ, କେମିତି ଖାଇବ, କେମିତି କଥା କହିବ, କେମିତି ବସିବ ପରି ଅନେକ ଶିଷ୍ଟାଚାର କଥା, ସମାଜରେ ଅନୁରୂପ ବଞ୍ଚିବାର କଳା ଶିଖେଇଥାଆନ୍ତି ପିତା-ମାତା । ବ୍ୟବହାର, ଶୈଳୀ, ଶିଷ୍ଟାଚାର, ଭଦ୍ରାମୀ କଣ ତାହା ଉଭୟ ବାପା-ମାଆ ହିଁ ଶିଶୁଟିକୁ ଜଣାଇଥାଆନ୍ତି। ତେଣୁ ଉଭୟ ତାର ପ୍ରଥମ ଗୁରୁ। ଜଣେ ଶିକ୍ଷକଙ୍କୁ ଯେମିତି ସମ୍ମାନ ଦିଆଯାଏ, ଠିକ୍ ସେହିଭଳି ନିଜ ବାପା-ମାଆଙ୍କୁ ମଧ୍ୟ ସମ୍ମାନ ଦେବା ଉଚିତ୍। ଯିଏ ନିଜ ବାପା-ମାଆଙ୍କୁ ସମ୍ମାନ ଦେଇ ଜାଣେନା, ସେ କାହାକୁ ସମ୍ମାନ କରିବା ଶିଖି ପାରେନା ।
କାରଣ ଉଭୟ ନଥିଲେ ଜଣେ ଶିଶୁର ଭବିଷ୍ୟତ କେବେ ବି ଉତ୍ତମ ରୂପେ ଗଢା ହୋଇପାରିବ ନାହିଁ ।ପିତାମାତାଙ୍କ ପରେ ଯିଏ ଦୁନିଆ ସହ ପିଲାଟିର ପରିଚୟ କରାନ୍ତି, ସେ ହେଉଛନ୍ତି ଶିକ୍ଷା ଗୁରୁ । ଯିଏ ଆମକୁ ଶିକ୍ଷା ଦାନ କରନ୍ତି ତାଙ୍କ ସ୍ଥାନ ବି ଅପୂରଣୀୟ । ପିଲାର ସମ୍ପୂର୍ଣ୍ଣ ଭବିଷ୍ୟତ ନ୍ୟସ୍ତ ଥାଏ ଜଣେ ଶିକ୍ଷକଙ୍କ ଉପରେ।ପିଲାଟି ଯେବେ ଖଡି ଧରିବା ଆରମ୍ଭ କରିଥାଏ, ଶିକ୍ଷା ଗୁରୁର ଶିକ୍ଷକତା ସେହିଠାରୁ ହିଁ ଆରମ୍ଭ ହୋଇଥାଏ। ବିନା ଗୁରୁରେ ଛାତ୍ରର ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯାଇଥାଏ। ତେଣୁ ତାଙ୍କୁ କେବେ ବି ଅବମାନନା କରିବା ଉଚିତ୍ ନୁହେଁ। ଶିକ୍ଷା ହେଉଛି ପ୍ରଗତିର ମାପକାଠି । ଏହା ମାଧ୍ୟମରେ ହିଁ ସମାଜର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ଅଣାଯାଇପାରିବ। ସବୁଠୁ କଠିନ କାର୍ଯ୍ୟ ମଧ୍ୟରେ ଗୋଟିଏ ବଡ କାର୍ଯ୍ୟ ହେଉଛି ଜଣେ ଭଲ ଆଦର୍ଶ ଶିକ୍ଷକ ହେବା।
Comments
Post a Comment