ନୂଆଁଖାଇ ଜୁହାର
ମଣିଷର ମାଟି ଓ ପ୍ରକୃତି ସହିତ ଅନାବିଳ ସମ୍ପର୍କର ପ୍ରତୀକ- ଆଦ୍ୟପର୍ବ ନୂଆଁଖାଇ
ସୃଷ୍ଟି ସର୍ଜନା କାଳରୁ ମାଟି ଏବଂ ପ୍ରକୃତି ସହିତ ମଣିଷର ଅତି ନିବିଡ ସମ୍ପର୍କ ରହିଛି। ପ୍ରକୃତିରୁ ଉତ୍ପାଦିତ ଶସ୍ୟ, ଫଳ ମୂଳ ହିଁ ମଣିଷକୁ ବଞ୍ଚିରହିବାର ଖୋରାକ୍ ଯୋଗାଇବା ସହିତ ଜୀବନ ଜୀବିକା ମଧ୍ୟ ଯୋଗାଇ ଥାଏ। ବେଦ ପୁରାଣ କହେ ଅନ୍ନ ହେଉଛି ସୃଷ୍ଟିର ମୂଳ ଆଧାର ଏବଂ ପୂର୍ଣ୍ଣବ୍ରହ୍ମର ସ୍ୱରୂପ। ଅନ୍ନ ବିନା ଜୀବ ଜଗତ ତିଷ୍ଠି ରହିବା ସମ୍ପୂର୍ଣ୍ଣ ଅସମ୍ଭବ।
ବେଦ, ପୁରାଣ ଏବଂ ଉପନିଷଦମାନଙ୍କରେ ଅନ୍ନର ମହିମା ବର୍ଣ୍ଣିତ ଅଛି। ଶ୍ରୀମଦ୍ ଭାଗବତ ଗୀତାରେ ଅତିବଡି ଜଗନ୍ନାଥ ଦାସ ଅନ୍ନର ମହିମା ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି, "ଅନ୍ନ ବିହୁନେ ଆୟୁଷ ହାନି ଯୋଗ ସାଧିବୁ କାହା ଘେନି"। ସୃଷ୍ଟି ସର୍ଜନା କାଳରୁ ଅନ୍ନ ପୂଜାର ବିଧି ପ୍ରଚଳିତ ହୋଇ ଅସୁଛି। ଧରିତ୍ରୀ ମା' କୋଳରୁ ଉତ୍ପାଦିତ ଅନ୍ନକୁ ଦେବୀ ଦେବତାମାନଙ୍କ ନିକଟରେ ପ୍ରଥମେ ସମର୍ପଣ କରିବା ପରେ ନୂତନ ଅନ୍ନକୁ ସପରିବାର ଭୋଜନ କରିବାର ପରମ୍ପରାକୁ ନୂଆଖାଇ ବୋଲି ଅଭିହିତ କରାଯାଇଛି। ନୂଆଖାଇ ସୃଷ୍ଟିର ଆଦ୍ୟ ଗଣପର୍ବ ବୋଲି କୁହାଯାଏ।
ବିଶେଷ କରି ପଶ୍ଚିମ ଓଡିଶାରେ ଏହି ପର୍ବକୁ ଆନନ୍ଦ ଓ ଉଦ୍ଦୀପନାର ସହ ପାଳନ କରାଯାଇଥାଏ।
ବିଦ୍ୟା ଦାତା ପ୍ରଭୁ ଗଣେଶଙ୍କ ପୂଜା ପର ଦିନ ଅର୍ଥାତ ଭାଦ୍ରବ ମାସ ପଞ୍ଚମୀ ତିଥିରେ ନୂଆଁଖାଇ ପର୍ବ ପାଳନ କରାଯାଏ | ଏହି ଦିନ ବର୍ଷର ପ୍ରଥମ ଅନ୍ନ ଇଷ୍ଟ ଦେବୀଙ୍କୁ ଅର୍ପଣ କରିବାର ବିଧି ରହିଛି। ନୂଆଁଖାଇ ପୂର୍ବରୁ ଲୋକ ମାନଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଭାରି ରହିଥାଏ। ଧନୀ ଗରିବ ନିର୍ବିଶେଷ ରେ ସମସ୍ତେ ଏ ପର୍ବରେ ନିଜ ଘର ସଜାନ୍ତି ଘରର ସ୍ତ୍ରୀ ଲୋକ ମାନେ ଘର ଦ୍ଵାର ଲିପା ପୋଛା କରି ଘରର ସମସ୍ତ ବ୍ୟବହୃତ ଜିନିଷ ସଫା କରି ସଜାଇ ରଖନ୍ତି । ମିଠା ଓ ପିଠା ତିଆରି ପାଇଁ ସମସ୍ତ ସାମଗ୍ରୀ ଯୋଗାଡ କରାଯାଏ। ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତେ ନୂଆ ନୂଆ ଜିନିଷ କିଣା ବିକାରେ ବ୍ୟସ୍ତ ରୁହନ୍ତି।
ନୂଆଖାଇ ଦିନ ସମସ୍ତେ ଶୀଘ୍ର ଶଯ୍ୟା ତ୍ୟାଗ କରି ନିଜ ନିଜର ନିତ୍ୟକର୍ମ ସାରନ୍ତି। ସମସ୍ତେ ନୂତନ ବସ୍ତ୍ର ପରିଧାନ କରି ପୂଜାପାଠରେ ବସନ୍ତି। ପିତୃପୁରୁଷଙ୍କୁ ପିଣ୍ଡ ଦାନ ପରେ ନୂଆ ଧାନ କେଣ୍ଡା ଓ ଚୂଡା, ପିଠାପଣା ଦେବଦେବୀଙ୍କୁ ସମର୍ପଣ କରନ୍ତି। ଧୂପ ଦୀପ ଦେଇ ପୂଜା କରନ୍ତି। ଚୂଡା , ଘିଅ , ମହୁ , କ୍ଷୀର , ଗୁଡ କଦଳୀରେ ପ୍ରସ୍ତୁତ ଭୋଗ ଦିଅଁଙ୍କ ନିକଟରେ ଲାଗି କରନ୍ତି। ନୂଆଁଖାଇ ଅବସରରେ ସାନ ମାନେ ବଡ ମାନଙ୍କୁ ନୂଆଖାଇ ଜୁହାର କରନ୍ତି । ତା ' ପରେ ବଡ ମାନେ ଘରେ ପ୍ରସ୍ତୁତ ପିଠାପଣା, ଖିରିପୁରୀ , ମିଠା , ଡାଲି , ତରକାରୀ, ଆଦି ପ୍ରସାଦ ରୂପେ ସେବନ କରି ଖୁସି ଅନୁଭବ କରନ୍ତି।
ନୂଆଁଖାଇ ସାରି ଝିଅ ବୋହୁ ମାନେ ରଙ୍ଗ ବେରଙ୍ଗ ପୋଷାକ ପରିଧାନ କରି ' ନୂଆ ଖାଇ ଭେଟ ଘାଟ ' ପାଇଁ ବାହାରନ୍ତି ; ଘର ଘର ସାହି ସାହି ବୁଲି ଗୁରୁଜନ ମାନଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରନ୍ତି । ଗୁରୁଜନ ମାନେ ଆଶୀର୍ବାଦ କରନ୍ତି ଓ କହନ୍ତି ,' ବଞ୍ଚିଥିଲେ ଆରବର୍ଷ ଦେଖା ହେବ ' । ଏହି ପର୍ବରେ ପିଲା ଠାରୁ ବୁଧ ପର୍ଯ୍ୟନ୍ତ ସମସ୍ତେ ଗାଁ ମନ୍ଦିରକୁ ଯାଇ ସମସ୍ତେ ଦେବା ଦର୍ଶନ କରିବାର ପ୍ରଥା ରହିଛି। ସଞ୍ଜ ହେଲେ ସମସ୍ତେ ଖେଳକୁଦ , ନାଚ-ଗୀତ, ଭଜନ- କୀର୍ତ୍ତନ , ନାଟ-ତାମସା , ଓ ଖିଅ ପିଆ ରେ ନିଜକୁ ବ୍ୟସ୍ତ ରଖନ୍ତି | ଆଦିବାସୀ ସଂପ୍ରଦାୟ ଲୋକମାନଙ୍କ ନକଗୀତ ଓ ବାଦ୍ୟ ବେଶ ଆନନ୍ଦ ଦେଇଥାଏ । ସେମାନେ ଏହି ପର୍ବକୁ ଆଗ୍ରହ ଓ ଉତ୍ସାହ ମଧ୍ୟରେ ପାଳନ୍ତି ।
ନୂଆଁଖାଇ ଏକ ସାମାଜିକ କୃଷି ଭିତ୍ତିକ ପର୍ବ । ଏହି ପର୍ବ କୃଷକ ମନରେ ନୂଆ ଫସଲ ଅମଳ କରିବା ପାଇଁ ଉତ୍ସାହ ବଢାଏ । ନୂଆଖାଇ ପର୍ବ ସାମାଜିକ ବନ୍ଧନର ଗୁରୁତ୍ଵ ଶିଖାଇବା ସହ ଲୋକଙ୍କ ମଧ୍ୟରେ ମାନବିକତା ଓ ଭାତୃତ୍ଵ ଭାବନା ସୃଷ୍ଟି କରିଥାଏ । ଏଥିରେ ଜାତି-ଅଜାତି , ଉଚ୍ଚନିଚ ଭେଦଭାବ ନଥାଏ । ସମସ୍ତେ ବାଦ-ବିବାଦ, ମାନ-ଅଭମାନ , ରାଗ-ରୁଷା ଭୁଲି ଯାଆନ୍ତି । ସମସ୍ତଙ୍କ ବ୍ୟକ୍ତିଗତ ଜୀବନ ସଦ୍ଭାବନରେ ପୂରି ଉଠେ । ଆମର ଧର୍ମ, ସଂସ୍କୃତି , ଓ ପରମ୍ପରା କୁ ଏହି ପର୍ବ ଠିକ ବାଟରେ ପରିଚାଳିତ କରେ ।
Comments
Post a Comment