ନିର୍ବାଣ
---ନିର୍ବାଣ----
ଜୀବନର ପଥରେ ଗତିର ଆଲେଖ୍ୟ
ସ୍ଥିର ବିଧିର ନିର୍ଦେଶ
ଅଲେଖା ଫରଦେ ଅର୍ଜିତ କରମ
ପ୍ରବାହ ସୁଖ୍ୟାତି ଯଶ l
ବିହିର ପରଶେ ସଂଯୋଗ ନିଯୋଗ
ଅଚେତେ ଚେତନ ମିଶେ
ବିଭୁ ଜ୍ଞାନ ରସ ମୋହରେ ଅବଶ
ମାୟା ମୋହେ ଚିତ୍ତ ଗ୍ରାସେ l
ଜନନୀ ଜଠରେ ଦଶ ଅବତାର
ଜନ୍ମ ଗତେ ଏକାଦଶ
ନାରାୟଣ ରୁପି ନରେ ବିବର୍ତ୍ତନ
ବ୍ୟତିକ୍ରମ ଅବଶୋଷ l
ମହୀରେ ପୁରୁଷ କାମନାରେ ବଶ
ସମାହିତ କଳେବର
ମୋହ ମଦ ମତ୍ତ କାମନା ରହିତ
ଜନ୍ମ ଲଭେ ବାରମ୍ବାର l
କ୍ଷୁଧା ତୃଷ୍ଣା ବଶ କରମ ନିର୍ଦୋଷ
କରତା ନିଷ୍ପାପ କ୍ଷମ
ଉତ୍ତମ ପୁରୁଷ ସାର ଉପଦେଶ
(ତେବେ)ଲଭେ କିମ୍ପା ପୁନର୍ଜନ୍ମ ?
ଜନ୍ମ ହେତୁ ଜରା ବାର୍ଦ୍ଧକ୍ୟ ମରଣ
ଚତୁଆର୍ଯ୍ୟ ସତ୍ୟ ସାର
ଜନମୁ ନିସ୍ତାର ଜନ୍ମେଞ୍ଜୟ ଭବେ
ମୃତ୍ୟଞ୍ଜୟ ସିଦ୍ଧି ତାର l
ବିପଶ୍ୟନା ଧ୍ୟାନେ ଅନ୍ତର ଦର୍ଶନ
ଅରି ମିତ୍ର ରୂପେ ବଶ
ଜନ୍ମ ମୃତ୍ୟୁ ଚକ୍ର ପରିଧିରୁ ପାର
ନିର୍ବାଣ ବୁଦ୍ଧ ସନ୍ଦେଶ l
Comments
Post a Comment